ସ୍ତ୍ରୀ ଓ ସ୍ତ୍ରୈଣ ପୁରୁଷ ମାନଙ୍କର ସଙ୍ଗ
ସନ୍ମାର୍ଗରେ ଚାଲୁ ଚାଲୁ ଯଦି କୌଣସି ଜିହ୍ବା ଓ ଉପସ୍ଥେନ୍ଦ୍ରିୟର ଭୋଗରେ ଆସକ୍ତ ବିଷୟୀ ପୁରୁଷମାନଙ୍କ ସହିତ ତାହାର ଭେଟ ହୋଇଯାଏ ଏବଂ ସେମାନଙ୍କ ଦ୍ବାରା ପ୍ରଭାବିତ ହୋଇ ସେ ଯଦି ସେମାନଙ୍କର ଅନୁଗମନ କରେ, ତେବେ ସେ ପୁଣି ଥରେ ପୂର୍ବ ପରି ନାରକୀ ଯୋନିରେ ପଡ଼ିଯାଏ |
ତେଣୁ ଯେଉଁମାନଙ୍କ ସଙ୍ଗଦୋଷରୁ ମନୁଷ୍ୟର ସତ୍ୟ, ଶୌଚ, ଦୟା, ବାକ୍ସଂଯମ, ବୁଦ୍ଧି, ଧନସମ୍ପଦ, ଲଜ୍ଜା, ଯଶ, କ୍ଷମା, ମନସଂଯମ, ଇନ୍ଦ୍ରିୟସଂଯମ ତଥା ଐଶ୍ବର୍ଯ୍ୟ ଆଦି ସଦ୍ଗୁଣ ନଷ୍ଟ ହୋଇଯାଏ, ସେପରି ଅତ୍ୟନ୍ତ ଶୋଚନୀୟ, ସ୍ତ୍ରୀମାନଙ୍କର କ୍ରୀଡ଼ାମୃଗ, ଅଶାନ୍ତ, ମୂଢ଼ ଓ ଦେହାଭିମାନୀ ଅସତ୍ପୁରୁଷ ମାନଙ୍କର ସଙ୍ଗ କରିବା କଦାପି ଉଚିତ ନୁହେଁ |
ସ୍ତ୍ରୀ ଓ ସ୍ତ୍ରୈଣ ପୁରୁଷ ମାନଙ୍କର ସଙ୍ଗ କଲେ ଜୀବ ଯେତେ ମୋହଗ୍ରସ୍ତ ହୁଏ ଓ ଯେପରି ବନ୍ଧନରେ ପଡ଼େ, ଅନ୍ୟ କୌଣସି ସଙ୍ଗରୁ ତାର ସେତେ ଅଧଃପତନ ହୁଏ ନାହିଁ ।
ବ୍ରହ୍ମା ହିଁ ମରୀଚି ଆଦି ପ୍ରଜାପତିମାନଙ୍କୁ ତଥା ମରୀଚି ଆଦି କଶ୍ୟପାଦିଙ୍କୁ ଓ କଶ୍ୟପାଦି ଦେବମାନବାଦି ପ୍ରାଣୀଙ୍କୁ ସୃଷ୍ଟି କରିଛନ୍ତି । ସୁତରାଂ ସେମାନଙ୍କ ମଧ୍ୟରୁ ଏକମାତ୍ର ଋଷିପ୍ରବର ନାରାୟଣଙ୍କୁ ଛାଡ଼ିଦେଲେ, ଏପରି କେଉଁ ପୁରୁଷ ଅଛନ୍ତି, ଯାହାଙ୍କର ବୁଦ୍ଧି ସ୍ତ୍ରୀରୂପିଣୀ ମାୟାଦ୍ବାରା ମୋହିତ ହେବ ନାହିଁ ? ମୋର ଏହି ସ୍ତ୍ରୀରୂପିଣୀ ମାୟାର ବଳ କେତେ ଦେଖ ! ସେ ନିଜର ଭୂକୁଟି ବିଳାସ ମାତ୍ରକେ ବଡ଼ ବଡ଼ ଦିଗ୍ ବିଜୟୀ ବୀରମାନଙ୍କୁ ମଧ୍ୟ ପାଦରେ ଦଳିଦିଏ !
No comments:
Post a Comment