Search This Blog

06 July 2025

ହୁଅନ୍ତି କି ଶିଶୁଟିଏ ମୁଁ poem by prahallad sahoo

  "ହୁଅନ୍ତି କି ଶିଶୁଟିଏ ମୁଁ" 

⚘️🌻🌻🌴🌻🌻⚘️

ହେ ପ୍ରଭୁ ହୁଅନ୍ତି କି ଶିଶୁଟିଏ ମୁଁ

ତୁମ୍ଭ ନାମ ଗାଇ ଗାଇ ଦିନ ଯାଆନ୍ତା ମୋର; 

ଅଜଣା ରାସ୍ତାର ପଥିକଟିଏ ମୁଁ

ଦେଖାଇ ଦିଅ ସେ ପଥ ତୁମ୍ଭଙ୍କୁ ଜାଣିବାର ।


ରାସ୍ତା ସୀମାହୀନ

ବଢିବାକୁ ହେଲେ ଆଗକୁ 

କରିବାକୁ ହେବ ନିର୍ଦ୍ଧାରଣ ।

ହୋଇପାରେ ସେ ଅଜଣା

କିନ୍ତୁ ହେବି ନାହିଁ ବାଟବଣା।।

ଏ ଅସ୍ଥିର ସଂସାରେ 

ନିଜେ ନିଜକୁ କରି ନିଶ୍ଚଳ 

ନିର୍ଦ୍ଦିଷ୍ଟ କରିବି ମୋ ଲକ୍ଷ୍ୟସ୍ଥଳ । 


ଆଖି ପାଉ ନାହିଁ, ଦିଶା ଦିଶୁ ନାହିଁ

ଆଗେ ଅଥଳ ସାଗର

   ଲଂଘିବାର ଅଛି ସେ କୂଳ।

ଜୀବନ ଦୁର୍ଦ୍ଦଶାରେ 

    ହନ୍ତସନ୍ତ ହେବାଠାରୁ

ବରଂ ଜୀବନର ଗତିକୁ 

   ସୁଦୃଢ କରିବା ଶ୍ରେୟସ୍କର।।


ନିଜକୁ ଥରେ ଭାବି ଦେଖ ମୂର୍ଖ କାଳିଦାସ

ବ୍ଯର୍ଥ ହେବନାହିଁ ତୁମ ଆଶା,  

ସାଗର ଗର୍ଭରୁ ଜଳ ତ ସୁଖାଇ ପାରିବ ନାହିଁ

ହୁଏତ ସେ ଜଳରୁ ଆବିର୍ଭାବ ହେଲେ ମାଆ

ଦୂରିଭୁତ ହେବ ତୁମ ଦୁଃଖ ଦୁର୍ଦ୍ଦଶା।।


ଏଠି କିଛି ନୁହେଁ ଅଜଣା ରାସ୍ତା,

ମହତ ଲକ୍ଷ୍ଯ ନେଇ ଆଗେଇଗଲେ

ଆପେ ଆପେ ଦିଶିଯିବ ଚଉଦିଗ। 

ଖୋଲିଯିବ କଣ୍ଟକିତ ଅଜଣା ରାସ୍ତା

ବାକି ଯାହା ଖାଲ ଖମା ଭରିଯିବ।। 


ଆରମ୍ଭ ତ ଆମକୁ କରିବାକୁ ପଡିବ

ଶେଷ କିଏ ଦେଖିଛି ନା ଦେଖିବ ???

ଠିକ୍ ଯେମିତି ଜନ୍ମ ସତ୍ଯ, 

ମୃତ୍ୟୁର ଯତୁଗୃହରୁ କେହି କଣ 

କେବେ ଫେରିଛି ନା ଫେରିବ ???

 ମୃତ୍ୟୁ ସତ୍ଯ କିମ୍ବା ନିଶ୍ଚିତ ??

କେହି କଣ ନିଜେ ନିରୂପଣ କରିପାରିବ ???


ତଥାପି ପାଦ ବଢାଇବାକୁ ହେବ 

ସେହି ଅଜଣା ରାସ୍ତାର ଅନ୍ତ ଫାଡ଼ି,

ନିଶ୍ବାସ ଥିବା ଯାଏ ବିଶ୍ବାସ କରିବାକୁ ହେବ

ଜନ୍ମ ଆଉ ମୃତ୍ୟୁରେ ଜଳୁଛି ଏବଂ ଜଳୁଥିବ 

ଆରମ୍ଭ ଓ ଶେଷର ସେ ଦିହୁଡି।।


ପ୍ରହ୍ଲାଦଙ୍କ ବିଶ୍ବାସରେ ଉଭା ହେଲେ

ଖମ୍ବରୁ ପ୍ରଭୁ ନରସିଂହ ଅବତାରୀ 

ସାୟଂ କାଳେ, ଜାନୁ ପରେ; 

ଦୁଆର ବନ୍ଧ ତଳେ, ବିନା ଅସ୍ତ୍ରରେ 

ବିନାଶ କଲେ ହିରଣ୍ୟକଶିପୁର ଗର୍ବ

ତା' ଅନ୍ତ ଫାଡି ହସ୍ତ ନଖରେ।।


ଆଜି ଏହି ପୂଣ୍ଯ ତିଥିରେ 

ଦେବତାଙ୍କ କ୍ରୋଧାଗ୍ନିରୁ ଜାତ 

ଦୁଷ୍ଟ ବିନାଶିନୀ ମାଆ ଦଶଭୂଜା । 

ମହିଷାସୁରକୁ କରି ବଧ 

ମହିରେ ପାଳିଲେ ସନ୍ଥ, 

ଅଧ୍ରମକୁ ନାସି କଲେ ଧର୍ମ ସଂସ୍ଥାପନ 

ସେହି ମାଆର ଆଶୀର୍ବାଦ ହେଉ

ସକଳ ପ୍ରାଣୀର ଜୀବନ ଧନ।।


ହେ ପ୍ରଭୁ ହୁଅନ୍ତି କି ଶିଶୁଟିଏ ମୁଁ 

ତୁମ୍ଭ ନାମ ଗାଇ ଗାଇ ଦିନ ଯାଆନ୍ତା ମୋର; 

ଅଜଣା ରାସ୍ତାର ପଥିକଟିଏ ମୁଁ

ଦେଖାଇ ଦିଅ ସେ ପଥ ତୁମ୍ଭଙ୍କୁ ଧ୍ଯାଇବାର ।

©️ପ୍ରହ୍ଲାଦ ସାହୁ

🌎ନିୟୂଦିଲ୍ଲୀ 

 💎୯୫୪୦୫୩୧୨୭୪

No comments: