Search This Blog

24 July 2023

ଦେବସ୍ନାନ ପୂର୍ଣ୍ଣିମା - ପ୍ରହ୍ଲାଦ ସାହୁ

 ଦେବସ୍ନାନ ପୂର୍ଣ୍ଣିମା 

🪷🙏🪷🙏🪷🙏🪷🙏


ବାରମାସେ ତେରପର୍ବ ଦେଖ 

       ମୋ କାଳିଆ ସାଆନ୍ତର,

ସବୁ ପର୍ବ ଠାରୁ ଶ୍ରେଷ୍ଠ  ଅଟେ  

         ଦେବସ୍ନାନ ପର୍ବ ତାର।🪷


ଜ୍ୟେଷ୍ଠ ମାସ ଶୁକ୍ଳ ପୂର୍ଣ୍ଣମୀ 

   ତିଥିରେ ଗଜବେଶ ହୁଏ,

ଗଜଉଦ୍ଧାର ନିମନ୍ତେ ଯୁଗେ 

    ଯୁଗେ ନାମ ବହିଛି ସେ।🪷


   ସ୍ନାନ ମଣ୍ଡପରେ ଚାଲ ଗୋ 

    ଦେଖିବା ସ୍ନାହାନ ପୁନେଇଁ,

ଗଜାନନରୂପେ ଦର୍ଶନ ଦେବେ 

        ପ୍ରଭୁ କଳା ଗୋସେଇଁ ।🪷


  ସୁନାକୂପ ଜଳ ଅଣାଯାଏ 

    ଦେବତାଙ୍କ ସ୍ନାନ ପାଇଁ,

ଶ୍ରୀକ୍ଷେତ୍ରେ ଭକ୍ତଙ୍କ ଭିଡସେ 

  ଜଳଟିକେ ପାଇବା ପାଇଁ।🪷


ତେତିଶ ଗରା ଜଳରେ ସ୍ନାନ 

        କରନ୍ତି ଯେ ବଡ଼ଭାଇ,

   ପଞ୍ଚତ୍ରିଶ ଗରା ଜଳେ ସ୍ନାନ 

    କରେ ମୋ କାଳିଆ ସାଇଁ।🪷


ବାଇଶି ଗରା ଜଳେ ସ୍ନାନ 

   କରନ୍ତି ସୁଭଦ୍ରା ଭଉଣୀ, 

     ସୁଦର୍ଶନ ଅଠର ଗରା 

  ଜଳେ ସ୍ନାନ କରନ୍ତି ପୁଣି।🪷


  ତେତିଶ ପଞ୍ଚତିରିଶ ବାଇଶି 

             ଅଠର ଗରା ଜଳ,

ମୋଟ ଶହେଆଠ ଗରା ଲାଗି 

            ହୁଏ ସବୁ ଦିଅଁଙ୍କର।🪷


ଭାଇ  ଭଉଣୀ ଓ  ସୁଦର୍ଶନ  

       ସାଥେ ପ୍ରଭୁ ଜଗନ୍ନାଥ,

ଶଙ୍ଖ ଚକ୍ର ଗଦା ପଦ୍ମ ହାତେ 

    ଧରି ହ୍ଯୋନ୍ତି ସୁଶୋଭିତ।🪷


          ହଳ ମୂଷଳ ସହିତେ 

      ବିରାଜିତ ପ୍ରଭୁ ବଳଭଦ୍ର,

    ଗଜବେଶେ ଚତୁର୍ଦ୍ଧାମୂରତି 

          କରନ୍ତି ଦୁଃଖ ଲାଘବ।🪷


କଳିଯୁଗେ ଭାଇ ହେଲା ଭଗାରି 

             କେହି ନୁହେଁ କାହାରି,

କିନ୍ତୁ ମୋ କାଳିଆ ଭାଇ ଭଉଣୀ 

             ସଙ୍ଗେ ଶୁଣେ ଗୁହାରି।🪷


ଅପୂର୍ବ ତୋର ସେ ମାୟା କିଏବା 

                  ପାରିବ ବୁଝି ତାକୁ,

     ସକଳ ପାପ ତାପ ମୁକ୍ତିଦାତା 

              ସର୍ବଘଟେ ବିରାଜିଛୁ।🪷


ତୁମେ ଜଗବନ୍ଧୁ ତୁମେ କୃପାସିନ୍ଧୁ  

                    ତୁମେ ଦିନବନ୍ଧୁ, 

ତୁମେ ଭକ୍ତବନ୍ଧୁ ତୁମେ ଜ୍ଞାନମଧୁ 

                 ତୁମେ ମୋରବନ୍ଧୁ।🪷


 ତୁମେ ସର୍ବନାମ ପୁଣି ତୁମେ ତ 

              ସର୍ବ ରୂପେ  ଅରୂପ, 

      କେଉଁ ନାମେ କେଉଁ ରୂପେ 

       ପୂଜିବି କୁହ ହେ ବିଶ୍ବରୂପ।🪷


    ସବୁଠୁ ସୁନ୍ଦର ଗଜାନନ 

     ବେଶ ଦେଖନ୍ତିକି ଥରେ,

  ମୋ ନେତ୍ର ପଖାଳନ୍ତି ପ୍ରଭୁ 

ତୁମସେ କୃପାନେତ୍ର ତୀରେ।🪷


©️ପ୍ରହ୍ଲାଦ ସାହୁ

✍️ନିୟୂଦିଲ୍ଲୀ

📱୯୫୪୦୫୩୧୨୭୪

🙏🙏🙏🙏🙏

ଲୌହ ଦାନବର କ୍ଷୁଧା - ପ୍ରହ୍ଲାଦ ସାହୁ

 ଲୌହ ଦାନବର କ୍ଷୁଧା 🚇🚉


ହେ ଈଶ୍ଵର! 

ତୁମେ କଣ ଖୁସି ନୁହଁ 

ମର୍ତ୍ତ୍ୟର ଦେଖିବାକୁ ଏ ମାନବର ଲୀଳା?

ତୁମେ ହିଁ ଦେଖୁଥିବ କେବଳ ତୁମରି ଲୀଳା ଖେଳା?

ତୁମେ ଖୁସି ଯେଉଁଠି ତୁମେ ଲଗାଇ ଥାଅ ତୁମ ମେଳା?


ବାଃ, ବାଃ ରେ ଯୁଗାବତାର!

ଭାଇ ଭଉଣୀଙ୍କ ସଙ୍ଗେ ରତନ ବେଦିରେ ବସି 

ଆନନ୍ଦ ଉଲ୍ଲାସେ ହେଉଛୁ ବିଭୋର ଭାରି।

ବାର ମାସେ ତେର ପର୍ବ ପାଳି 

ଚଉଦିଗୁ ପ୍ରଶଂସା ନେଉଛୁ ତୋଳି।


ଏହି କି ତୋ ବୁଝିବା ଶକ୍ତି ଅକାଳରେ ଦେଉ ବାଧା

ବୁଝିବାକୁ ଭକ୍ତ ମନକଥା କାହିଁକି ତୋ ମନେ ବ୍ୟଥା?


କରି କରାଉ ଥାଇ ତୁହି, ତୋ ବିନୁ ଅନ୍ଯ ଗତି ନାହିଁ।

ଦେଖି ଅଦେଖା ହେଉ ତୁହି, କିମ୍ପା ବଡ ଆଖି ଅଛୁ ବହି।


ଜୀବ ଥିବା ଯାଏ ଆଖି ନ ଦେଖୁ ଏ ଦୁଃଖ ! 

କି ଦୋଷ କରିଥିଲେ ସେମାନେ

ଯାହାର ରକ୍ତରେ ହୁରି ଖେଳିଛି ଲୌହ ଦାନବ।

ଉଜୁଡି ଗଲା ହସ ଖୁସିର ସଂସାର,

ହଜିଗଲା ନୂଆବୋହୁର ସୀମନ୍ତିନୀରୁ ସିନ୍ଦୂର।


ଅନାଥ ହୋଇଗଲା ସେ କଁଅଳ ଶିଶୁ 

ଯିଏ ଭଲକରି କାନ୍ଦିବା ବି ଶିଖି ନଥିଲା,

ଲିଭିଗଲା ସେ ଜୀବନ ପ୍ରଦୀପ 

ଯିଏ ବିଦେଶରୁ ଫେରି ହାତକୁ ଦି'ହାତ 

ହେବା ପାଇଁ କଥା ଦେଇଥିଲା ।


ଏଇ ଦେଖ୍ ସେ ଦରଦୀ ମନର ଅଭିବ୍ୟକ୍ତି ---- 

"ଛିନ୍ନଭିନ୍ନ ମେଘ ଅଳ୍ପ ଅଳ୍ପ ବର୍ଷାକୁ ଆହ୍ବାନ କରୁଥାଏ, (ଯେତେବେଳେ) ଆମେ ଶୁଣୁଥିବା ଛୋଟ କାହାଣୀରୁ 

ପ୍ରେମ ଫୁଲ ଫୁଟିଥାଏ।"

ଏଇ ଶୁଣ ଅବ୍ୟକ୍ତ ବେଦନାର ପରିପ୍ରକାଶ  ----

"ପ୍ରେମ ସହିତ ମୁଁ ତୁମକୁ ସବୁବେଳେ ଆବଶ୍ୟକ କରେ, 

ତୁମେ ଥାଅ ସବୁବେଳେ ମୋ ମନ ଗହନ ବନରେ।"

(ଟ୍ରେନରୁ ମିଳିଥିବା ଅସମାପ୍ତ କବିତା)


ପିତା ଖୋଜୁଛି ସବ-ସମୁଦ୍ରରେ 

ପୁତ୍ରର ଅପାଶୋରା ମୁହଁ

ମାଆ କାନ୍ଦେ ନପାଇ ତା' 

ମଲାଜହ୍ନର (ଝିଅର) ସବ।

ଭାଇ କାନ୍ଦୁଛି ନିଜ ଭାଇକୁ ହରେଇ

ବାହାନଗା ବାହୁନୁଛି ଆତ୍ମୀୟଙ୍କୁ ହଜେଇ।


କି ବେଳରେ ରାତି ପାହିଥିଲା? 

ରକ୍ତ ପିପାସୁ କାଳର କରାଳ ଗତିରେ

ଦେବ ଭୂମି ଓଡିଶାର ବାହାନଗା

ବୈଦୁତିକ ଶକଟ ରୂପ ଧାରୀ 

ଦାନବ ପଞ୍ଝାରେ ରକ୍ତ ରଞ୍ଜିତ ହେଲା।


କରମଣ୍ଡଳ ସାଜିଲା କୃତ କର୍ମର ଫଳ

କିଏ ବା ଜାଣିଥିଲା କେଉଁ ଜନ୍ମରେ 

କି କର୍ମ କରିଥିଲା କିଏ ;

ସେଥିପାଇଁ ବୋଧହୁଏ ଭାଗ୍ଯକୁ ଆଦରି 

ଜନ୍ତୁରାଣ ବୈଦୁତିକ ଶକଟର ଶାସ୍ତି

ମୁଣ୍ଡପାତି ଆଜି ସହିଛି ସିଏ । 


ଶତ ଶତ ମୃତ ଶରୀର ସାଜିଲା ସବର ସହର

ସେ ସହରେ ଚିହ୍ନା ମୁହଁ ଅଚିହ୍ନା ହୋଇଛି

କେଉଁ ଏକ ରକ୍ତମୁଖା କ୍ଷୁଧାର୍ତ ଜାନ୍ତବ କ୍ଷୁଧାର।


ରହି ରହି ଶୁଭେ ଆର୍ତ୍ତ ଚିତ୍କାର 

ସଭିଏଁ ଯନ୍ତ୍ରଣାରେ ଡହଳ ବିକଳ 

ବେଳ କାଇଁ ବୁଝିବାକୁ ସ୍ଥିତି ସୁଖ ଦୁଃଖର

ବଞ୍ଚି ବଞ୍ଚେଇବା ପାଇଁ ସମସ୍ତେ ଅଗ୍ରସର। 


ତୁ ତ ଖାଲି ଦେଖୁଥାଉ,

ଦେଖ, ତୁ ହାତ ବଢେଇବା ଆଗରୁ

ହିନ୍ଦୁ, ମୁସଲମାନ, ଜୈନ, ଖ୍ରୀଷ୍ଟିଆନ 

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷେ 

ସହଯୋଗର ହାତ ବଢେଇଛନ୍ତି 

ଝରୁଛି ରକ୍ତ ବଦଳରେ ରକ୍ତ ହୃଦୟରୁ।


ଏବେ ତୁ ଖୁସି ଲାଗୁଛୁ

ସେଥିପାଇଁ ସ୍ନାନ ମଣ୍ଡପେ 

ସବୁରି ସମ୍ମୁଖେ ରକତେ ସ୍ନାନ କରୁଛୁ,

ଧନ୍ଯ ତୋର ପ୍ରଭୁ ପଣ ----

ଯାହାଲାଗି ବିଶ୍ୱରେ ପଡୁଥିଲା ହୁରି

ଆଜି ସେ ସବୁ ଅକାରଣ 

ସେଥିପାଇଁ ବୋଧହୁଏ ଶୁଣୁଛୁ ଅପମାନ।


ହେ ଦଇବ, ତୁ ତ ସାଜିଲୁ ଶତୃ

ବନ୍ଧୁ ପଣେ ତୋତେ ଡାକିଥିଲି

ସାହା ହେବୁ ତୁ କେଉଁ କାଳକୁ?

ତୋ ନାମେ ସାରା ବିଶ୍ୱରେ 

କାଲି ଭଲରେ, 

ଆଜି ମନ୍ଦରେ ଡିଣ୍ଡିମ ବାଜୁଛି ।


©️ପ୍ରହ୍ଲାଦ ସାହୁ

🏠ନିୟୂଦିଲ୍ଲୀ 

📲୯୫୪୦୫୩୧୨୭୪

ବାବା ଭୋଳାଶଙ୍କର - ପ୍ରହ୍ଲାଦ ସାହୁ

 🌼🪻🌼ବାବା ଭୋଳାଶଙ୍କର 🌼🪻🌼

🌼🪻🌼🪻🌼🪻🌼🪻🌼🪻🌼🪻🌼


ହେ ପ୍ରଭୁ ଜଟାଜୂଟଧାରୀ ତ୍ରିଲୋଚନ ଭୋଳାଶଙ୍କର 

ମୃତ୍ୟୁଞ୍ଜୟ ନାମେ ଡିଣ୍ଡିମ ବଜାଉ ସାରା ସଂସାରର ।


ଶଙ୍କା ଆଶଙ୍କାର  ତୁହି ଏକା  ଅଟୁ ବିନାଶ କାରକ 

ତୋର କୃପାହେଲେ ମୃତ୍ଯୁଦୂତ ସାଜିଥାଏ ପଳାତକ ।


ଭୋଲେବାବା ସାଜି ସର୍ବ ମନସ୍କାମ ପୁରା କରିଥାଉ

ଭକ୍ତକୁ  ବର  ପ୍ରଦାନି  ନିଜ ସ୍ଥିତି  ନିଜେ ଭୁଲିଯାଉ ।


ତୋର ନାମେ ମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି ଭକ୍ତଜନ

ଶାପ ମୁକ୍ତ ହୋଅନ୍ତି ଭକ୍ତି ମାର୍ଗେ କରି ବିଧି ବିଧାନ ।


ତୁହି ପରା ତ୍ୟାଗୀ କାମୁକନାଶନ ପରମ ବୈରାଗୀ

ତୋର ସଙ୍ଗେ ଥାଆନ୍ତି ବୃଷଭ ଇନ୍ଦୁର ଶାର୍ଦ୍ଦୁଳ କେକୀ ।


ହସ୍ତେ ଶୋଭିତ ଡମ୍ବରୁ ତ୍ରିଶୂଳ ଆହେ ତ୍ରିଶୂଳଧାରୀ

ଭୂଜଙ୍ଗ ଭୂଷଣ  ନିତ୍ଯ  ନିରଞ୍ଜନ  ପ୍ରଭୁ ଶୂଳପାଣି ।


ଚମ୍ପା, ନାଗଚମ୍ପା, ଧାତୁରା, କେତକୀ ସହିତ ଗୟସ 

ପୂଜିତ ବିଲ୍ଵପତ୍ର ସଙ୍ଗେ  ଶହେ ଆଠ ଜଳ କଳସ ।


ମସ୍ତକେ ଗଙ୍ଗାମାତା ଅର୍ଦ୍ଧଚନ୍ଦ୍ର ଧାରଣ କରି ତୁହି 

ପ୍ରଳୟ କାଳେ ଉଦ୍ଧାରୁ ବିଶ୍ବ ନଟରାଜ ନୃତ୍ଯ କରି ।


ସର୍ବ ହିତେ ସର୍ବକାଳେ ସର୍ବ ପ୍ରାଣୀ ଉଦ୍ଧାରିଛୁ ପ୍ରଭୁ

କେଉଁ ଦୋଷେ ରେଳ ପଥେ ନୀରିହ ପ୍ରାଣ ନେଲୁ?


ଉମା ପତି  ପ୍ରଭୁ ମହେଶ  ବିଶ୍ବ ତାରକ  ନୀଳକଣ୍ଠ 

ଆଶିଷ ଦିଅ ଆହେ ଆଶୁତୋଷ ଦୁଃଖ ହେଉ ଖଣ୍ଡନ।।


©️ପ୍ରହ୍ଲାଦ ସାହୁ

🏡ନିୟୂଦିଲ୍ଲୀ

📱୯୫୪୦୫୩୧୨୭୪

ଗୁରୁ ପୂର୍ଣ୍ଣିମା - ପ୍ରହ୍ଲାଦ ସାହୁ

🌷🌷ଗୁରୁ ପୂର୍ଣ୍ଣିମା 🌷🌷

🌷🌷🌷🌷🌷🌷🌷

ଗୁରୁ ପୂର୍ଣ୍ଣବ୍ରହ୍ମ ଗୁରୁ ହିଁ ଆୟୁଧ 

ଗୁରୁ ଅବଧାନ ମାନ;

ଗୁରୁ ପୂର୍ଣ୍ଣଯୋଗ ଗୁରୁ ହିଁ ପୂଣ୍ଯତଃ 

ଗୁରୁ ମାନ ଅଭିମାନ ।


ଗୁରୁ ଗରୀୟାନ ଗୁରୁ ହିଁ ମହାନ

ଗୁରୁ ପିତା ମାତା ଈଶ;

ଗୁରୁ ପଥଦ୍ରଷ୍ଟା ଗୁରୁ ହିଁ ନମନ

ଗୁରୁ ଦିଅନ୍ତି ଆଶିଷ ।


ଗୁରୁ ମହେଶ୍ବର ଗୁରୁ ହିଁ ପରମ

ଗୁରୁ ଜ୍ଞାନ ବୁଦ୍ଧି ଦାତ୍ତା;

ଗୁରୁ ଅଣାକାର ଗୁରୁ ହିଁ ଧରମ

ଗୁରୁ ଜୀବନର ଆସ୍ଥା ।


ଗୁରୁ ନିରାକାର ଗୁରୁ ହିଁ ଭକତି

ଗୁରୁ ଶମ ଦମ କ୍ଷମା;

ଗୁରୁ ନିର୍ବିକାର ଗୁରୁ ହିଁ ଶକତି

ଗୁରୁ ସାକ୍ଷାତ ଉପମା ।


ଗୁରୁ ମହାସିଦ୍ଧ ଗୁରୁ ହିଁ ପ୍ରବୁଦ୍ଧ 

ଗୁରୁ ପ୍ରାଣ ପ୍ରୀୟ ମିତ;

ଗୁରୁ ଗଙ୍ଗାଜଳ ଗୁରୁ ହିଁ ନିର୍ମଳ

ଗୁରୁ ଥିଲେ ନାହିଁ ଭୀତ ।


ଗୁରୁ ବ୍ଯାସଦେବ ଗୁରୁ ହିଁ ବିଜ୍ଞାନୀ

ଗୁରୁ ଜନ୍ମିଲେ ଆଷାଢେ;

ଗୁରୁ ପୂର୍ଣିମାକୁ ଗୁରୁ ହିଁ ଲେଖିଲେ 

ଗୁରୁ ସର୍ବଶ୍ରେଷ୍ଠ ଅଟେ ।


ଗୁରୁ ଉଚ୍ଚମନା ଗୁରୁ ହିଁ ଶିକ୍ଷକ 

ଗୁରୁ ମୁକ୍ତି ପ୍ରଦାୟକ;

ଗୁରୁ ଦିବ୍ଯାଲୋକ ଗୁରୁ ହିଁ ରକ୍ଷକ

ଗୁରୁ ମାରଗ ଦର୍ଶକ ।


ଗୁରୁ ମହୀୟାନ ଗୁରୁ ହିଁ ମାଧବ

ଗୁରୁ ନିତ୍ଯ ନିରଞ୍ଜନ;

ଗୁରୁ ଦିବ୍ଯଜ୍ଞାନୀ ଗୁରୁ ହିଁ ସାଧକ

ଗୁରୁ ସତ୍ଯ ଚିରନ୍ତନ ।


ଗୁରୁ ଜ୍ଞାନଗଙ୍ଗା ଗୁରୁ ହିଁ ଚେତନା

ଗୁରୁ ପ୍ରୀୟ ହୁଅ ଶିଷ୍ଯ;

ଗୁରୁ ସ୍ନେହରଙ୍କା ଗୁରୁ ହିଁ ଆପଣା

ଗୁରୁ ସଙ୍ଗ କର ନିତ୍ଯ  ।


ଗୁରୁ ପରଂବ୍ରହ୍ମ ଗୁରୁ ହିଁ ବିଶେଷ 

ଗୁରୁ ମଣି ମୁକ୍ତା ହୀରା;

ଗୁରୁ ମହାଦୃମ ଗୁରୁ ହିଁ ବିଶ୍ବାସ 

ଗୁରୁ ଜଗତେ ନିଆରା ।


ଗୁରୁ ପୂର୍ଣ୍ଣିମାରେ ଗୁରୁ ହିଁ ପୂଜିତ 

ଗୁରୁ ପୂଜା କଲେ ମୁକ୍ତି;

ଗୁରୁ କୃପାକଲେ ଗୁରୁ ହିଁ ବନ୍ଦିତ

ଗୁରୁ ବିନା ନାହିଁ ସ୍ଥିତି ।


©️ପ୍ରହ୍ଲାଦ ସାହୁ 

🏠ନିୟୂଦିଲ୍ଲୀ

📱୯୫୪୦୫୩୧୨୭୪

🙏🪷🙏🪷🙏

ଜୀବନ - ପ୍ରହ୍ଲାଦ ସାହୁ (ନିୟୂଦିଲ୍ଲୀ)

🪷🪷🪷 ଜୀବନ 🪷🪷🪷

🪷🪷🪷🪷🪷🪷🪷🪷


ହେ ଜୀବନ ! 

ବଞ୍ଚିବାର ରାହା ଖୋଜୁ ଖୋଜୁ 

ଚାଲିଛି ମୁଁ ଅନେକ ବାଟ, 

ଏ ଅସରନ୍ତି ବାଟ ସରିଯିବ

କିନ୍ତୁ .......

ତୋତେ ସାର୍ଥକ କରିବାର ଅଭିପ୍ରାୟ, 

କାଲି ଥିଲା ଅବଦମତି,

ଆଜି ବି ଅଭିପ୍ସିତ,

ଜୀବକୁ ଜୀବନର ସଜ୍ଞା ପଚାରି 

ନିଜକୁ ହତୋତ୍ସାହିତ କରି କି ଲାଭ!

ତଥାପି ଜୀବନର ମୂଲ୍ଯବୋଧ ଖୋଜୁଥିବା

ଏ ବେସାହାରା ପଥିକଟି 

ଅକାଳରେ ଝରିଯିବା ପୂର୍ବରୁ 

ଜୀବନର ସଜ୍ଞା ହେଉ ନିରୂପିତ। 


ପାପ ପୂଣ୍ଯ, ମିଛ ସତ ଦେଖି ଦେଖି

ଅସହ୍ଯ ହେଲାଣି ପ୍ରାଣ

ନିଜ ଲୋକ ନିଜର ନହୁଏ ଏଠି

କାହିଁକି ଖାଉଛି ମୁଁ ରାଣ।


ବାଦ ଅପବାଦ ସଙ୍ଗେ 

      ଯଶ କୀର୍ତ୍ତି ବି ଲଭିଛି 

ଜାଣେ ନାହିଁ କେତେ ପୂଣ୍ଯ 

        ସେପାରିକୁ ସଞ୍ଚିଛି।


ସବୁ ଖାଲି ପ୍ରତାରଣା, ପ୍ରହେଳିକା,

ଅଙ୍ଗୀକାର ହେବାର ନିଷ୍ପତ୍ତି 

ବେଳେ ବେଳେ ହତାଶ କରୁଛି,

ମିଛ କୁହୁଡିରେ ପହଁରି ପହଁରି ମୁଁ 

ଜୀବନକୁ ଧ୍ବସ୍ତ ବିଧ୍ବସ୍ତ କରୁଛି, 

ବଞ୍ଚିବାର ରାହା ଖୋଜୁ ଖୋଜୁ 

ଜୀବନକୁ ଦୁର୍ବିସହ କରିଚାଲିଛି।


ପିତା ମାତା କନ୍ଯା ଦାରା ସୁତ କରିଛି ନିଜର

ଧନ ଧାନ୍ଯ ମିତ୍ର ନୁହଁ ସାଥି ଅନ୍ତ ସମୟର । 


ବାଲ୍ଯରେ ଚପଳମତୀ, 

      କୈଶୋରର ଉଦ୍ଦାମତା 

ଯୌବନେ କର୍ମମୟ, 

    ପ୍ରୌଢତ୍ବ ବିବଷ ପ୍ରତିଷ୍ପର୍ଦ୍ଧା 

ବାର୍ଦ୍ଧକ୍ଯ ହରି ଭରସା ଏଇତ ଜୀବନର ଅନ୍ତିମତା ! 


କିଛି ପାଇବାର ଆଶାରେ 

ପାପ ବି କରିଛି, 

କିଛି ହରେଇବାର ଦୁଃଖରେ 

ପୂଣ୍ଯ ବି କମେଇଛି,

କିନ୍ତୁ ଜୀବନ ଜୀଇଁବାର ଅର୍ଥ 

ଏବେ ବି ମୁଁ ଖୋଜୁଛି ,,,,,

                   

ଶରୀର ମୋ ହେଲାଣି କ୍ଷୀଣ ପୁଣି ମନ ବି କ୍ଳାନ୍ତ 

କେ ଜାଣେ କେବେ ହେବ ଏହି ପ୍ରତୀକ୍ଷାର ଅନ୍ତ ।


ସବୁ ମିଛ ଭିତରେ ଜୀବନଟା ସିନା ଏକା ସତ୍ଯ 

ଜୀବ ଚାଲିଗଲେ ଜୀବନର ଅର୍ଥ ରାମ ନାମ ସତ୍ଯ। 


ପ୍ରହ୍ଲାଦ ସାହୁ

ନିୟୂଦିଲ୍ଲୀ

🪷🪷🪷

ଆଜିର ବିବାହ : ବୈଦିକ ସଂସ୍କାର ଓ ବଦଖର୍ଚ୍ଚ

ବିବାହ : ବୈଦିକ ସଂସ୍କାର ଓ ବଦଖର୍ଚ୍ଚ

********^^^^^********

ଏଇ ସଦ୍ୟ ସଦ୍ୟ ଯାଇଛି ଦେବଶୟନ ଏକାଦଶୀ। ଆରମ୍ଭ ହୋଇଛି ଚତୁର୍ମାସ୍ୟା ବା ଅଶୁଦ୍ଧ କାଳ। ଅର୍ଥାତ ଚାରିମାସ ଲାଗି ମାଙ୍ଗଳିକ କାର୍ଯ୍ୟ ହେବ ନାହିଁ। ତ୍ରାହି ମିଳିଛି ବରଯାତ୍ରୀ ରୋଷଣୀ ନାଁ ରେ କାନଫଟା DJ ଆଉ ଅଧରାତି ଯାଏଁ ବାଣ ଫୁଟା ଶବ୍ଦରୁ। 

ଆଜି ସେଇ ବିବାହ ବାବଦରେ କିଛି….....

ଏକ ସର୍ବେକ୍ଷଣ ଅନୁଯାୟୀ ଭାରତରେ ଗୋଟିଏ ବର୍ଷରେ ବିବାହରେ ଯେତିକି ଖର୍ଚ୍ଚ ହୁଏ, ତାହା ଅନେକ ଦେଶର GDP ଠାରୁ ଅଧିକ।

ସନାତନ ଧର୍ମରେ ବିବାହ ଏକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଯାହା ଉତ୍ତମ୍ ସମାଜ ଓ ପରବର୍ତ୍ତୀ ପିଢ଼ି ଗଢିବାର ପ୍ରଥମ ସୋପାନ। ସେଥିପାଇଁ ବିବାହରେ ବର-କନ୍ୟା ଙ୍କୁ ଲକ୍ଷ୍ମୀ ନାରାୟଣ ଭାବେ ବିବେଚନା କରି ସମସ୍ତ ରୀତିନୀତି କରାଯାଏ। ଅତିଥି ମାନଙ୍କୁ ଦେବଗଣ ତୁଲ୍ୟ ବିଚାର କରାଯାଏ ବୋଲି ଗୁଆ ଦେଇ ନିମନ୍ତ୍ରଣ, ଆସିବାରେ ଅଭ୍ୟର୍ଥନା, ନୂତନ ବସ୍ତ୍ର ଓ ଯିବା ବେଳେ ଦକ୍ଷିଣା ଦିଆଯାଏ। ସେଥିପାଇଁ ନିଜ ପରିବାର ପରିଜନ (ଯେଉଁମାନେ ନିଷ୍ଠା ପୂର୍ବକ ସ୍ବଧର୍ମ ପାଳନ କରୁଛନ୍ତି ବୋଲି ଜାଣି ନିଶ୍ଚିତ ଥାନ୍ତି) ମାନଙ୍କୁ ହିଁ ନିମନ୍ତ୍ରଣ ଦିଆଯାଏ।

କିନ୍ତୁ ଆଜିକାଲି ବିବାହ ଆଉ ଏକ ସଂସ୍କାର ନୁହେଁ ବରଂ ଗୋଟେ ଇଭେଣ୍ଟ ବା ପରିଣାମ ଯାହା ଭଲ କୁ କି ମନ୍ଦ କୁ ଭବିଷ୍ୟତ କହିବ।

ନିର୍ବନ୍ଧ ହେଉ ବା ବିବାହ ପୂର୍ବରୁ ହେଉଥିବା ଅନ୍ୟାନ୍ୟ ରୀତି, ସେସବୁ ପରିବାର ପରିଜନଙ୍କ ଉପସ୍ଥିତି ରେ ଘର ଭିତରେ ହେଉଥିଲା। କୌଣସି ଦେଖାଣିଆ ନାଟକ ବା ତାମଝାମ ନଥିଲା। ସେହି ଦମ୍ପତି ମାନେ ବର୍ତ୍ତମାନର ଦମ୍ପତିଙ୍କ ଠାରୁ ଅଧିକ ସୁଖୀ ଥିଲେ (କାରଣ ଏତେମାତ୍ରାରେ ଛାଡପତ୍ର ଓ ବିବାହୋତ୍ତର ସମ୍ପର୍କ ଦୃଷ୍ଟିରେ ନଥିଲା)। 

କିନ୍ତୁ ସମାଜ ଓ ସୋସିଆଲ ମିଡିଆରେ ଦେଖେଇ ହେବା ପାଇଁ ବର୍ତ୍ତମାନ କାହାରିକୁ ଆଉ ହୋସ ରହୁନି, କଣ କରିବା ଉଚିତ, କଣ ନୁହେଁ।

ନିଜକୁ ଅନ୍ୟଠାରୁ ଅଧିକ ବିତ୍ତଶାଳୀ/ଧନୀ ଓ ଆଧୁନିକ ଦେଖାଇବା ଚକ୍କରରେ ଦେଖାଣିଆ ପଣ ସୀମାପାର ହୋଇସାରିଛି। ଅଠଚାଳିଶ କିଲୋ ଝିଅକୁ ପଚାଶ କିଲୋର ଲେହେଁଗା ଭାରି ଲାଗୁନି। ବାପା ବୋଉଙ୍କ ସଂସ୍କାର ଆଗରେ କିଲୋ କିଲୋ ମେକପ ହାଲୁକା ଲାଗୁଛି। ପ୍ରତି ଇଭେଣ୍ଟ ରେ ଘଣ୍ଟା ଘଣ୍ଟା ଧରି ଫୋଟୋସୁଟ କରାଇବା ବେଳେ ଆଦୌ ଥକା ଲାଗୁନି, କିନ୍ତୁ ବିବାହ କର୍ମକାଣ୍ଡ ଆରମ୍ଭ ହେବା ମାତ୍ର, “ନନା ଜଲ୍ଦି କର, କେତେ ଲମ୍ବା ଚୌଡା ପ୍ରସେସ ମ !” କହିବାକୁ ଲଜ୍ଜା ବି ଲାଗୁନି।

ଧିରେ ଧିରେ ଏଇ ବାହାଘର ବଦଖର୍ଚ୍ଚ ଏକ ସାମାଜିକ ବ୍ୟାଧି ବା ବାଧ୍ୟବାଧକତା ହେଲାଣି। ଆମ ଓଡ଼ିଆ ପରମ୍ପରା ଓ ବିବାହ ପଦ୍ଧତିରେ ନଥିବା ହଳଦୀ, ସଙ୍ଗୀତ, ମୁସଲମାନଙ୍କ ମେହେନ୍ଦୀ ଓ ଖ୍ରୀଷ୍ଟିଆନ ଙ୍କ ରିଙ୍ଗ ସେରେମୋନି  ନାମକ ଅନାବଶ୍ୟକ ବଦଖର୍ଚ୍ଚ ଓ ବିକୃତି ଜୋରରେ ମାଡିଚାଲିଛି। 

ଆଗରୁ ବାଡୁଅ ପାଣି ଗାଧୋଇବା ବେଳେ ପରିବାରର ଗୁରୁଜନ ମହିଳା ମାନେ ହଳଦୀ ଲଗେଇ ମଙ୍ଗୁଳା ପାଣିରେ ଗାଧୋଇ ଦେଉଥିଲେ। ଝିଅ ମା ଗୋଡ଼ରେ ବସୁଥିଲା। ସବୁକିଛି ସେଇ ଘର ଅଗଣାରେ ହେଉଥିଲା ଯେଉଁଠି ସେ ବଢିଛି। ସେ ରୀତିରେ ଆବେଗ ଥିଲା। ହୁଳହୁଳି ଭିତରେ ପାଣି ଢାଳିବା ବେଳେ ସମସ୍ତେ ଲୁହରେ ଭିଜୁଥିଲେ ଝିଅକୁ ବିଦା କରିବା କଥା ଭାବି। ହେଲେ ଏବେ ସେଥିପାଇଁ ବିଧିବଦ୍ଧ ଷ୍ଟେଜ ତିଆରି ହେଉଛି। ସମସ୍ତେ ହଳଦିଆ ପୋଷାକ ପିନ୍ଧି ସିନେମା ଷ୍ଟାଇଲରେ ଯାତ୍ରା ଚାଲୁଛି। ଆବେଗ ଓ ସଂସ୍କାର ନକହିଲେ ଭଲ।

ଆଉ ଏକ ଯାତ୍ରା ହେଉଛି ପ୍ରି ୱେଡିଙ୍ଗ ଫୋଟୋସୁଟ। ହିନ୍ଦୁ ବିବାହ ସଂସ୍କାର ଅନୁସାରେ ବିବାହ ଦିନରେ ବି କେତେକ ନିର୍ଦିଷ୍ଟ କର୍ମ ହେବାଯାଏ ବର କନ୍ୟା ପରସ୍ପର ମୁହଁ ଦେଖିବେ ନାହିଁ। ହେଲେ ଫୋଟୋସୁଟ ଲାଗି ଯେତିକି ଯାତ୍ରା ଆଉ ଉଦବାର୍ଯ୍ୟ ଦୁଷ୍କର୍ମ ହେଉଛି ସେସବୁ ନକହିବା ଭଲ। ତା ଉପରେ ରହିଛି ହଳଦୀ,ମେହେନ୍ଦୀ, ସଙ୍ଗୀତ ର ଥିମ୍ ପାର୍ଟି, ବ୍ୟାଚେଲର ପାର୍ଟି, ଏ ସବୁଥିପାଇଁ ଡିଜାଇନର ଲେହେଁଗା, DJ, ଷ୍ଟେଜ, ସାଜସଜ୍ଜା ଇତ୍ୟାଦି। 

ବାପା ଅସାମର୍ଥ୍ୟ ବ୍ୟକ୍ତ କଲେ ପୁଅ ଝିଅ ନିଜ ଆଡୁ କହୁଛନ୍ତି ‘ଥରେ ବାହାଘର ହେବ’ ତେଣୁ ଏସବୁ କର। ସେଇ ଅର୍ଥ ନିଜର କିମ୍ବା ପରିବାରର ଭବିଷ୍ୟତ ସୁରକ୍ଷା ପାଇଁ ଖର୍ଚ୍ଚ କରିବା ପରିବର୍ତ୍ତେ ଏମିତି ବଦଖର୍ଚ୍ଚ କରିବାକୁ କହିବା ସ୍ୱାର୍ଥପର ଓ ଲଜ୍ଜାହୀନ ଆଚରଣ ନୁହେଁ ତ ଆଉ କଣ ?

କିଛି ବର୍ଷ ପୂର୍ବେ ନିଜ ପାରିବା ଠାରୁ ଅଧିକ ଭବ୍ୟ ରିସେପସନ ଭୋଜିର ଅନ୍ଧଦୌଡ଼ ଆରମ୍ଭ ହୋଇଥିଲା। ଯାହା ଧିରେ ଧିରେ ଏକ ସାମାଜିକ ବାଧ୍ୟତା ପାଲଟିଗଲା। ଏଥିରେ ସବୁଠାରୁ ଅଧିକ ପେଶୀ ହୁଅନ୍ତି ମଧ୍ୟବିତ୍ତ ପରିବାର। ଏସବୁ ଭିତରେ ଲାଭ କରନ୍ତି ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଗୁଡିକ।

କେହି ସେ ବାପ ଭାଇଙ୍କ କଥା ଭାବୁ ନାହାନ୍ତି ଯିଏ ଜୀବନ ସାରା ପରିଶ୍ରମ କରି ରୋଜଗାର କରିଥିବା ଅର୍ଥ ଏମିତି ଫାଲତୁ ଦେଖାଣିଆ ଯାତ୍ରାରେ ଅପଚୟ କରିବାକୁ ବାଧ୍ୟ ହେଉଛନ୍ତି କେବଳ ଏଇଥିପାଇଁ ଯେ ବୃଦ୍ଧାବସ୍ଥାରେ କେହି ନକହୁ “ତୁମେ ମୋ ଲାଗି କଣ କରିଥିଲ ଯେ !”

ସମାଜକୁ ଓ ପରିବାର ମାନଙ୍କୁ ଏଦିଗରେ ଏବେଠାରୁ ସତର୍କ ହେବାକୁ ପଡ଼ିବ। ନହେଲେ ଦେଖାଣିଆ ବଦଖର୍ଚ୍ଚ ବୋଝ ତଳେ ଚାପି ହୋଇ ବୈଦିକ ବିବାହ ସଂସ୍କାର ଲୋପ ପାଇଯିବ।

ଏବେ କେତୋଟି ସାମାନ୍ୟ ପ୍ରଶ୍ନ, ନିଜେ ବିଚାର କରିବେ

ସୂର୍ଯ୍ୟାସ୍ତ ପରେ ବେଦ ପାଠ ନିଷିଦ୍ଧ, ତେବେ ରାତିରେ ବିବାହ କାହିଁକି (ମୋଗଲ କାଳରେ ସେମାନେ ହିନ୍ଦୁ କନ୍ୟାକୁ ଉଠାଇ ନେଉଥିଲେ ବୋଲି ରାତି ଅନ୍ଧାରରେ ଲୁଚିକି ବାହାଘର ହେଉଥିଲା)। 

ଏବେ କାହା ଭୟ ?

ବଉଳପାଟ ଓ ଆମ ପାରମ୍ପରିକ ବିବାହ ବସ୍ତ୍ରକୁ ଛାଡି କାହିଁକି କନ୍ୟା ଲେହେଁଗା ପିନ୍ଧିବ ? ବର କାହିଁକି ଧୋତି କୁର୍ତ୍ତା ଛାଡି ଇଂରେଜ ବେଶ ଧାରଣ କରିବ ? 

ବହୁତ୍ ସୁନ୍ଦର୍ ଭାରତୀୟ ପରିଧାନ ଅଛି ।

ଯେଉଁମାନେ ଦେବଗଣ ଭାବେ ନିମନ୍ତ୍ରିତ, ସେମାନେ ମଦ ମାଂସ ଖାଇ ବୈଦିକ କାଣ୍ଡରେ ଯୋଗ ଦେଉଛନ୍ତି କେମିତି ?

ପ୍ରି ୱେଡିଙ୍ଗ ଫୋଟୋସୁଟ, ହଳଦୀ, ମେହେନ୍ଦୀ, ସଙ୍ଗୀତ, ବ୍ୟାଚେଲର ପାର୍ଟି ଇତ୍ୟାଦିର ବୈଦିକ ସଂସ୍କାରରେ ଉଲ୍ଲେଖ ଅଛି କି ?

ଯଦି ସଂସ୍କାର କରିବାର ଅଛି ତାହା ଯେମିତି ହେବା ଉଚିତ ସେମିତି ହେଉ। ସେଥିରେ ଅପମିଶ୍ରଣ ଠିକ କି ?

ଏସବୁ ଦେଖାଣିଆ କାମରେ ନୁହେଁ ବରଂ କର୍ମକାଣ୍ଡ ଯେପରି ସଠିକ ଭାବରେ ହୁଏ, ସେଥିରେ ଧ୍ୟାନ ଦେଲେ ବିବାହର ଗୁରୁତ୍ୱ ରହିବ କାରଣ 

ସନାତନ ବା ହିନ୍ଦୁ ଧର୍ମରେ ଥିବା ୧୬ ସଂସ୍କାର ରୁ ବିବାହ ହେଉଛି ଏକ ପ୍ରମୁଖ ଓ ଶ୍ରେଷ୍ଠ ସଂସ୍କାର।

************************************************

ଆଜିର ବିବାହ ଦୁଇ ଆତ୍ମାର ମିଳନ ନୁହେଁ ବରଂ Just an Event

************************************************

ଚକ୍ରବୁଲା ଏକାଦଶୀ

 🌹ଶ୍ରୀମନ୍ଦିରରେ ଚକ୍ରବୁଲା ଏକାଦଶୀ🌹🌹🌹🌹🌹🌹🌹🌹🌹 : 

ଶ୍ରୀମନ୍ଦିରରେ ଶ୍ରାବଣ କୃଷ୍ଣ ଏକାଦଶୀ ତିଥିରେ ପରମ୍ପରା ଅନୁଯାୟୀ ଚକ୍ରବୁଲା ଏକାଦଶୀ ନୀତି ପାଳିତ ହୋଇଥାଏ। ଏହି ଦିନ ମଧ୍ୟାହ୍ନ ଧୂପ ସରି ମଇଲମ ଓ ଶାଢ଼ୀ ଖଣ୍ଡୁଆ ଲାଗି ହୋଇ ଝଡ଼ା ଆଳତି ବଢିବା ପରେ ସର୍ବାଙ୍ଗ ନୀତି ଅନୁଷ୍ଠିତ ହୋଇଥାଏ। ଏହାପରେ ଶ୍ରୀମଦନମୋହନ ବେଶ ହୋଇ ଆଜ୍ଞା ମାଳ ପାଇ ଏକାଦଶୀ ବେଢ଼ା କୁ ବିଜେ କରିଥାନ୍ତି। 

ଏତଦବ୍ୟତୀତ ସୁନା ବେଶ ରେ ମହାପ୍ରଭୁଧାରଣ କରୁଥିବା ସୁବର୍ଣ୍ଣ ସୁଦର୍ଶନ ଚକ୍ର ଓ ଦକ୍ଷିଣୀ ଘରୁ ଏକ ମୂର୍ତ୍ତୀ ଶାଳଗ୍ରାମ ଆଜ୍ଞାମାଳ ପାଇ ବିମାନକୁ ବିଜେ କରନ୍ତି। ଉକ୍ତ ବିମାନକୁ ବିମାନବଡୁ ସେବାୟତ ସ୍କନ୍ଧରେ ବହନ କରି ସିଂହଦ୍ୱାର ଦେଇ ଶ୍ରୀନଅର ନିକଟକୁ ଆସିଥାନ୍ତି। ସେଠାରେ ପନ୍ତିଭୋଗ ହେବାପରେ ଶ୍ରୀକ୍ଷେତ୍ରର ପ୍ରାଚୀନ ଚାରି ଆଶ୍ରମ ଯଥା ମାର୍କଣ୍ଡେୟ , ଅଙ୍ଗିରା , ଭୃଗୁ , କଣ୍ଡୁ ଆଶ୍ରମକୁ ବିଜେ କରିଥାନ୍ତି। ପ୍ରତି ଆଶ୍ରମ ରେ ଶୀତଳ ଭୋଗ , ବନ୍ଦାପନା ହୋଇ ନଗର ପରିକ୍ରମା ପରେ ସୁବର୍ଣ୍ଣ ସୁଦର୍ଶନ ଚକ୍ର ଶ୍ରୀମନ୍ଦିର କୁ ବାହୁଡ଼ା ବିଜେ  କରିଥାନ୍ତି। ଏହାକୁ ଚକ୍ର ବୁଲା ଏକାଦଶୀ କୁହା ଯାଇଥାଏ।

ଗୀତା ଶ୍ଲୋକ 🌻🌸🙏

🌻 ଗୀତା ଶ୍ଲୋକ 🌻
➖➖➖➖➖➖

⚜️ ଊର୍ଦ୍ଧ୍ୱଂ ଗଚ୍ଛନ୍ତି ସତ୍ତ୍ୱସ୍ଥା ମଧ୍ୟେ ତିଷ୍ଠନ୍ତି ରାଜସାଃ। ଜଘନ୍ୟଗୁଣବୃତ୍ତିସ୍ଥା ଅଧୋ ଗଚ୍ଛନ୍ତି ତାମସାଃ। ⚜️

🔱 ଶ୍ରୀକୃଷ୍ଣ ବର୍ଣ୍ଣନା କରୁଛନ୍ତି ଯେ ଆତ୍ମାର ପୁନର୍ଜନ୍ମ ବ୍ୟକ୍ତିତ୍ୱରେ ଗୁଣମାନଙ୍କର ପ୍ରାଧାନ୍ୟ ସହିତ ସମ୍ବନ୍ଧିତ ରହିଥାଏ । ବର୍ତ୍ତମାନ ଜନ୍ମର ଯାତ୍ରା ପୂର୍ଣ୍ଣ କରିବା ପରେ, ଆତ୍ମା ସେହି ସ୍ଥାନରେ ପହଞ୍ଚିଥାଏ, ଯାହା ତା’ର ଗୁଣ ଅନୁରୂପ ଅଟେ । ଏହାକୁ ଜଣେ ଛାତ୍ର ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ମହାବିଦ୍ୟାଳୟରେ ପ୍ରବେଶ କରିବା ସହିତ ତୁଳନା କରାଯାଇପାରେ । ଦେଶରେ ଅନେକ ମହାବିଦ୍ୟାଳୟ ଅଛି । ଯେଉଁ ଛାତ୍ରମାନେ ବିଦ୍ୟାଳୟରୁ ଉତ୍ତମ ଫଳାଫଳ ସହ ଉତ୍ତୀର୍ଣ୍ଣ ହୋଇଥାନ୍ତି, ସେମାନେ ଶ୍ରେଷ୍ଠ ମହାବିଦ୍ୟାଳୟରେ ପ୍ରବେଶାଧିକାର ପାଇଥାନ୍ତି। ଯେଉଁମାନଙ୍କର ନମ୍ବର କମ୍ ଥାଏ, ସେମାନେ ନିକୃଷ୍ଟ ମହାବିଦ୍ୟାଳୟରେ ପ୍ରବେଶ ପାଇଥାନ୍ତି। 🔱
 
ଭାଗବତ କହେ:-

⚜️ ସତ୍ତ୍ୱେ ପ୍ରଳୀନାଃ ସ୍ୱର୍ ଯାନ୍ତି ନର-ଲୋକଂ ରଜୋ-ଲୟାଃ ତମୋ-ଲୟାସ୍ ତୁ ନିରୟଂ ଯାନ୍ତି ମାମ୍ ଏବ ନିର୍ଗୁଣାଃ ।। (୧୧.୨୫.୨୨) ⚜️

🔱 “ସତ୍ତ୍ୱଗୁଣଯୁକ୍ତ ବ୍ୟକ୍ତିଗଣ ଉଚ୍ଚତର ସ୍ୱର୍ଗଲୋକକୁ ଗମନ କରନ୍ତି। ରଜୋଗୁଣଯୁକ୍ତ ବ୍ୟକ୍ତି ପୃଥିବୀ ପୃଷ୍ଠରେ ରହନ୍ତି। ତମୋଗୁଣଯୁକ୍ତ ବ୍ୟକ୍ତି ନିମ୍ନଲୋକକୁ ଯାଇଥାନ୍ତି । ନିର୍ଗୁଣମାନେ ମୋତେ ପ୍ରାପ୍ତ କରିଥାଆନ୍ତି।” 🔱

🌸🙏🌸🙏🌸🙏🌸🙏🌸🙏🌸🙏🌸🙏
.            ଆପଣଙ୍କ ଜୀବନ ମଙ୍ଗଳ ମୟ ହେଉ
.    🙏🙏🙏ଜୟ ଜଗନ୍ନାଥ ସ୍ବାମୀ 🙏🙏🙏

Good Morning