ସାଗର ଶିଶୁ ମୁଁ ସାଗରିକା
~💧💧💧~
ଅପରିବର୍ତ୍ତିତ କଁଅଳ ଶିଶୁର ଚପଳତା ବିବର୍ତ୍ତିତ ସମୟର ଧାରାକୁ ବେଳେବେଳେ ଇଙ୍ଗିତ କରି କହେ- ମୁଁ ବି ତୋରି ସନ୍ତାନ, ତୁ ସିନା ବିବର୍ତ୍ତନ ଧାରାରେ ପରିବର୍ତ୍ତିତ, ସବୁକିଛି ପରିବର୍ତ୍ତନ ତୋରି ଇଙ୍ଗିତରେ ହୋଇଥାଏ, କିନ୍ତୁ ମୁଁ ମୋର ଅଜ୍ଞତାରେ ଚପଳମତି ଶିଶୁ ସାବକ ମୋ ସ୍ବଭାବରେ ପରିବର୍ତ୍ତିତ ନୁହେଁ। ସବୁକିଛି ପରିବର୍ତ୍ତନ ହେଲେ ବି ମୁଁ ଅପରିବର୍ତ୍ତିତ ମୋ ସ୍ବଭାବରେ, ମୋ ଚରିତ୍ରରେ, ମୋ କର୍ମରେ। ମୋର ବାଳ ସ୍ବଭାବ ସାଗରର ଉତ୍ତାଳ ତରଙ୍ଗ ଭଳି ଦୋଳାୟିତ। ସାଗର ଯେପରି କାହାରି ଋଣ ନିଜ ପାଖରେ ରଖି ପାରେନାହିଁ ଏବଂ ସବୁକିଛି ସ୍ବଇଛାରେ ଲେଉଟାଇ ଦିଏ, ଠିକ୍ ମୁଁ ବି ମୋ ସ୍ବଭାବରେ ସ୍ବଭାବିକ ଭାବେ ମୋ ମନରେ କିଛି ରଖେ ନାହିଁ, ଯେତେବେଳେ ଯାହା ମନରେ ଉଦ୍ରେକ ହୁଏ ମୁଁ କରିଚାଲେ; ଭାବିବାକୁ ସାହାସ ନାହିଁ, ଅପେକ୍ଷା କରିବାକୁ ଧୈର୍ଯ୍ଯ ବି ନାହିଁ।
ସାଗରିକା, ସୋଫିଆ, ସାଇରସ, ସିଲେଣ୍ଟା ସକାଳର ସୁନେଲୀ କିରଣରେ ଚମକୁଥିବା ସମୁଦ୍ରର ଜଳରାଶିକୁ ଛୁଁ ଛୁଁ ଖୁସିରେ ବିଭୋର ହୋଇଯାଇଥିଲେ। ଚାରିଆଡେ ଖାଲି ଉତ୍ତାଳ ତରଙ୍ଗ ମାଳା, ଲହରୀ ଓ ଫେନନୀଳ ଜଳରାଶି। ସେମାନଙ୍କ ସହିତ ଥିଲା ଛୋଟ କାଗଜ ତିଆରି ନୌକାଟିଏ। ସାଗର ତରଙ୍ଗ ସହିତ ନୌକାଟି ବେଶ୍ ଦୋଳାୟିତ ହୋଇ ନାଚି ନାଚି ବହି ଚାଲିଥିଲା। ତଳୁ ଉପର, ଉପରୁ ତଳ ତରଙ୍ଗ ମାଳାର ତରଙ୍ଗରେ ନୌକା ଭାସି ଭାସି ଆଗ ପଛ ହୋଇ ତରଙ୍ଗାୟିତ ହେଉଥାଏ। ସମସ୍ତଙ୍କ ମନରେ ଖୁସିର ଲହରୀ। ସାଗର ସହିତ ସେମାନେ ବି ଖୁସିରେ ନାଚୁଥିଲେ।
ଅନାବିଳ ସ୍ନେହ ମମତାର ବନ୍ଧନରେ ବନ୍ଧା ଚାରୋଟି ଶିଶୁ। କେହି କାହାରିଙ୍କୁ ପର ବୋଲି କେବେ ଭାବୁ ନଥିଲେ। ଆତ୍ମୀୟତାର ପରିପ୍ରକାଶ କୋମଳମତି ଶିଶୁର ନିଃସ୍ବାର୍ଥପର ଜୀବନର ବିକାଶ।
ପରିପକ୍ବ ବୟସରେ ମଣିଷ ମନର ଅନେକ ରାଗ, ହିଂସା, ଦ୍ବେଷ, ପରଶ୍ରୀକାତରତା, ଘୃଣାଭାବ, ଗର୍ବ, ଅହଂକାର ବସା ବାନ୍ଧିଥାଏ। କିନ୍ତୁ ଶିଶୁ ସୁଲଭ ମନ ଏସବୁର ଉର୍ଦ୍ଧରେ। ଶିଶୁଟିଏ ଖୋଲା ହୃଦୟରେ ମନର କଥା ପରିପ୍ରକାଶ କରିପାରେ। ସେ ଦେଖେନାହିଁ ପ୍ରକୃତ ସମୟ, ସେ ବୁଝେନାହିଁ ପର ଆପଣା, ସେ ଖୋଜେ ନାହିଁ ନିର୍ଦ୍ଦିଷ୍ଟ ସ୍ଥାନ। ମନକଥା ଶୁଣିବାକୁ ଓ ବୁଝିବାକୁ କେହିଜଣେ ମିଳିଗଲେ ସେ ନିଜ ଇଛାରେ ସବୁକିଛି କହିଯାଏ ଏବଂ କରିଯାଏ ମଧ୍ଯ।
ବୟସରେ ସାଗରିକା ସବୁଠାରୁ ବଡ ଏବଂ ସିଲେଣ୍ଟା ସବୁଠାରୁ ଛୋଟ। କୁନି କୁନି ପାଦରେ ସେମାନଙ୍କ ସହ ପାଦ ମିଳେଇ ଚାଲି ପାରୁନଥିବାରୁ ସେ ସାଗରିକାର ପିଠିରେ ଘୋଡା ସବାର ହୋଇଛି। ସିଲେଣ୍ଟା ଆନନ୍ଦରେ ସମୁଦ୍ରର ଜଳରାଶିକୁ ଦେଖୁଥାଏ। ଜଳ ଯେତେବେଳେ ଲହଡି ମାରେ ସେ ବହୁତ ଖୁସି ହୋଇଯାଏ ଏବଂ ସାଗରିକାର ପିଠିରେ ଥାଇ ବି ପାଣିକୁ ଲମ୍ଫ ମାରିଲା ଭଳି ଦୁଇ ତିନିଥର ଉଚ୍ଛଳ କୁଦ କରିଦିଏ ଗୋଡ ଦୁଇଟାକୁ ଦୋହଲେଇ। ତା ଖୁସିରେ ସାମିଲ ହୋଇ ସମସ୍ତେ ଜଳ ସ୍ତର ଠାରୁ ଏକ/ ଦେଢ ଫୁଟ ଉପରକୁ କୁଦି ଯାଆନ୍ତି। ତା ସହିତ ସମସ୍ତଙ୍କର ନଜର ଥାଏ ନୌକାଟି ଉପରେ। ନୌକା ବି ଖଣ୍ଡେ ଦୂର ନାଚି ନାଚି ତଳ ଉପର ହୋଇ ତାଙ୍କ ସହିତ ଭାସି ଭାସି ଚାଲିଥାଏ। ବେଳେବେଳେ ସାଗର ଗର୍ଭରୁ ଅନାବନା ଜିନିଷ ସହିତ ମାଛ, କଙ୍କଡା, ଚିଙ୍ଗୁଡି ଇତ୍ଯାଦି ବାଲି ପଠା ଉପରକୁ ଚାଲିଆସେ। କଥାରେ ଅଛି, ସମୁଦ୍ର ନିଜ ପାଖରେ କିଛି ରଖେନାହିଁ।
ସାଗର ଭିତରେ ଘର କରି କେହି କଣ କୁମ୍ଭୀରକୁ ଡରେ? ନିର୍ଜନ ଦ୍ବୀପର ରାଜା ଭଳି ସେମାନେ ଏ ସାଗରର ରାଜା। ସେମାନଙ୍କର ଜନ୍ମ ଏହି ଦ୍ବୀପ ଖଣ୍ଡରେ। ସାଗରକୁ ନିଜର ମାଆ ଭଳି ଭଲ ପାଇବା ଶିଖିଛନ୍ତି। ସାଗରର ଗଭୀରତା ମାପି ପାରି ନାହାନ୍ତି ସତ କିନ୍ତୁ ତାର ନମନୀୟତା, କମନୀୟତା, ସୃଜନଶୀଳତା ସଙ୍ଗେ ଭୀଷଣତାକୁ ବେଶ ଭଲ ଭାବେ ଦେଖିଛନ୍ତି। ବର୍ଷାରେ ସାଗରର ଉଫାନ ଦେଖିଛନ୍ତି।
ନିଦାଘରେ ତାର ଘୂର୍ଣ୍ଣାୟମାନ ତରଙ୍ଗ ବି ଦେଖିଛନ୍ତି।
ଶୀତରେ ସାଗରର ତାପମାତ୍ରା ମାପିଛନ୍ତି।
ଶରତ, ହେମନ୍ତରେ ବୁନ୍ଦା ବୁନ୍ଦା କାକର ସାଗରକୁ ଛୁଇଁବା ପୂର୍ବରୁ ତା ସହିତ ମିଳେଇଯିବା ବି ଦେଖିଛନ୍ତି।
ଗତାନୁଗତିକ ସାମୁଦ୍ରିକ ଝଡକୁ ସାମ୍ନା କରିବା ବୋଧହୁଏ ନିତିଦିନିଆ ଘଟଣା ସେମାନଙ୍କର। ସେସବୁକୁ ଏମାନେ ଖାତିର କରନ୍ତି ନାହିଁ। ସାଗରର ପ୍ରତ୍ୟେକ ସ୍ଥିତି, ପରିସ୍ଥିତି ସହିତ ସେମାନେ ଅଙ୍ଗାଙ୍ଗୀ ଭାବେ ଜଡିତ। ସାଗର ଗର୍ଭରେ ଭୂକମ୍ପ ହେଲେ ସୁନାମି ଆସେ ଏବଂ ସେ ଆସିବା ପୂର୍ବରୁ ଏମାନେ କିଛି ସଂକେତ ପାଇପାରନ୍ତି। ଯେତେ ଶିଘ୍ର ସମ୍ଭବ ପ୍ରସ୍ତୁତ ହୋଇଯାଆନ୍ତି ଯେମିତିକି କିଛି ଅଘଟଣ ଘଟିନାହିଁ।
ସାଗର ବି ସଙ୍ଗୀତ ଗାଏ। ସାଗର ଆଖିରୁ ଲୋତକ ଗଡାଏ। ସାଗର ବେଳେବେଳେ ଆକାଶକୁ ପ୍ରୀତି ଭିକ୍ଷା କରେ ଏବଂ ଚାନ୍ଦ ସହିତ ପ୍ରଣୟ ରଚିବାର ଅଭିଳାଷରେ ଉନ୍ମାଦିତ ହୁଏ। ପୂର୍ଣ୍ଣମୀ ଚାନ୍ଦର ଜୋଛନାରେ ସେ ପ୍ରୀତିପ୍ଳୁତ ହୋଇଯାଏ। ତା ମନର ଆବେଗ ବଢିଯାଏ, ଛାତିର କୋହକୁ ସମ୍ଭାଳି ନପାରି ଉନ୍ମାଦିନୀ ରୂପ ଧାରଣ କରେ। ବାର ବାର ଲମ୍ଫ ପ୍ରଦାନ କରୁଥାଏ ଜହ୍ନକୁ ମନର କଥା ପଦେ କହିବା ପାଇଁ, ତା ସହିତ ଲୁଚକାଳି ଖେଳି ଆତ୍ମବିଭୋର ହୋଇଯିବା ପାଇଁ। ସେଥିପାଇଁ ପ୍ରତ୍ୟେକ ପୂର୍ଣ୍ଣିମା ତିଥିରେ ସାଗର ଗର୍ଭରେ ସୁଉଚ୍ଚ ଜୁଆର କୁଳ ଲଂଘି ଯାଏ। ପାଇବା ଓ ହରେଇବାର ସମିଶ୍ରଣରେ ସେ ବିଳାପ କରିଉଠେ। ଜୁଆର ଶବ୍ଦରେ ସୋଫିଆ, ସିଲେଣ୍ଟ ଭୟଭୀତ ହେବା ପୂର୍ବରୁ ସାଗରିକା, ସାଇରସ ସେମାନଙ୍କୁ ସମ୍ଭାଳି ନିଅନ୍ତି।
ବିଶାଳକାୟ ସିଲ୍, ଶାର୍କ, ତିମି, ଅକ୍ଟୋପସ, ସମୁଦ୍ର ଘୋଡା, ଷ୍ଟାର ଫିସ ଠାରୁ କ୍ଷୁଦ୍ରାତିକ୍ଷୁଦ୍ର ଶଂଖ, ଗେଣ୍ଡା, ଶାମୁକା କଇଁଛ ଏମାନଙ୍କ ସହିତ ବନ୍ଧୁତା ଅତି ନିବିଡ ସେମାନଙ୍କର। ସାଗରର ସନ୍ତାନ ସାଗରକୁ ଆପଣେଇ ନେଇ ଜୀବନ ଅତିବାହିତ କରିବାରେ ବେଶ୍ ଆମୋଦିତ। ସିପ, ଶଙ୍ଖ ଗୋଟେଇ ଅତିବାହିତ କରିଦିଅନ୍ତି ପିଲାଦିନ। ସେମାନେ ସାଗର ଠାରୁ ଏତିକି ଶିଖିଛନ୍ତି ସାଗର କୌଣସି ଦ୍ରବ୍ଯ ନିଜ ପାଖରେ ରଖେ ନାହିଁ। ତା ଗର୍ଭକୁ ଯାହା ଫିଙ୍ଗିଲେ ବି ସେ ପୁଣି ଫେରେଇ ଦେଇଥାଏ। ତେଣୁ ସେମାନେ ବି ଜୀବନରେ ଏହି ନିୟମକୁ ଅନୁସରଣ କରିନେଇଥିଲେ କାହାଠାରୁ ଋଣ ନେଇ ଋଣୀ ହୋଇ ରହିବେନାହିଁ। ନମକହଲାଲ ହେବେନାହିଁ। ସମୁଦ୍ରର ଲୁଣ ଖାଇ ତାର ଗୁଣ ଗାଇବେ ବରଂ ଅନ୍ଯ କାହାର ଲୁଣ ଖାଇ ଋଣି ହେବେନାହିଁ। ମରିଯିବେ ବରଂ ଅନ୍ଯର ଧନ ସମ୍ପଦରେ ନିଜକୁ ଗର୍ବିତ କରିବେନାହିଁ। ସଚ୍ଚୋଟପଣିଆ, ସତ୍ଯବାଦୀ ଏବଂ କର୍ମନିଷ୍ଠ ଜୀବନ ଯାପନ କରିବାରେ ଆନନ୍ଦ ଅନେକ ଥାଏ ଯାହା ସେମାନେ ସେହି ଶିଶୁ ସୁଲଭ ଚପଳମତୀ ମନରେ ଅନୁଭବ କରିଛନ୍ତି ଏବଂ ନିଃସ୍ବାର୍ଥପରତାକୁ ଆପଣେଇ ନେଇ ମାଆ ବାପ ଛେଉଣ୍ଡହେଲେ ବି ମନରେ ଗ୍ଳାନି ନାହିଁ। ସେମାନେ ସେହି ସାଗର କୂଳର ଶାମୁକା ପରି ନିଜ ଭିତରେ ମୁକ୍ତା ସଦୃଶ ଅନାବିଳ ସ୍ନେହ, ପ୍ରେମ, ମମତାରେ ବାନ୍ଧି ହୋଇ "ସାଇଲେଣ୍ଟ ଓସେନ ବାଳାଶ୍ରମ"ର ବାଳକ ବାଳିକା ଗଣ।
No comments:
Post a Comment