Search This Blog

20 February 2021

ଭୀମ ଭୋଇଙ୍କ ଅମୃତବାଣୀ and Mahima Dharma

 

“ଭୀମ ଭୋଇଙ୍କ ଅମୃତବାଣୀ ଏବଂ ମହିମା ଧର୍ମ ”

ଗୁରୁବ୍ରହ୍ମ ମହା ମହିମା ଅଲେଖ!

‘ଅମୃତ’ ଈଶ୍ୱର ପ୍ରଦତ୍ତ | କିମ୍ବଦନ୍ତୀ ଅନୁସାର ସମୁଦ୍ର ମନ୍ଥନରୁ ହିଂ ଏହା ଦେବତାଙ୍କୁ ପ୍ରାପ୍ତ ହୋଇଥିଲା | କିନ୍ତୁ ସଂସାରରେ ମନୁଷ୍ୟ ଏକ ମାତ୍ର ପ୍ରାଣୀ, ଯାହାର ବାଣୀରେବି ଅମୃତ ବର୍ଷା ହୋଇଥାଏ | ଏମିତି ଏକ ମନୁଷ୍ୟ ଓଡିଶାର ଜନ୍ମ ଗ୍ରହଣ କରିଥିଲେ | ଯିଏ ଥିଲେ ଆଜନ୍ମ ଅନ୍ଧ ଏବଂ ଦୁଃଖ, ଦାରିଦ୍ରତାରେ ଜର୍ଜରିତ ଏକ କନ୍ଧ ପରିବାରର ସନ୍ତାନ, ଓଡିଶାର ଗର୍ବ ଓ ଗୌରବ - ସନ୍ଥ କବି ଭୀମ ଭୋଇ | ତାଙ୍କର ସେହି ମୁଖ ନିଶୃତ ବାଣୀ -

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ,

ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ |”

ଓଡିଶା ମାଟିର ବରପୁତ୍ର ସେହି ମହାନ ଅନ୍ଧ-କନ୍ଧ-ସନ୍ଥ କବି ଭୀମ ଭୋଇଙ୍କର ଏଇ କବିତାଂଶଟି ସ୍ଵର୍ଣ୍ଣିଭ ଅକ୍ଷରରେ ବିଶ୍ଵ ଜାତିସଂଘର ଲଲାଟରେ କାହିଁ କେତେକାଳରୁ ଖୋଦିତ ହୋଇରହିଛି ଏବଂ ଭାରତର ସଂସଦର ମୁଖ୍ୟ ଦ୍ୱାରରେବି ଅଦ୍ୟାବଧି ଲିଖିତ | ତାଙ୍କ ଦ୍ୱାରା ରଚିତ ଉକ୍ତ ପଦ୍ୟାଂଶଟିର ଭାବାର୍ଥ ଆଜିବି ସମଗ୍ର ବିଶ୍ୱକୁ ଚକିତ କରୁଅଛି | ଏସଂସାରର ଦୁଃଖ-କଷ୍ଟ, ସତ-ମିଛ, ଅନ୍ୟାୟ-ଅତ୍ୟାଚାର ତାଙ୍କ ପାଇଁ ଅସହ୍ୟ ଥିଲା ଏବଂ ସେ ଏଇ କଳୁଶିତ ଜଗତର ଉଦ୍ଧାର ନିମନ୍ତେ ନିଜକୁ ନର୍କଗାମି ହେବାକୁବି ପଛେଇ ନଥିଲେ |

ଭୀମ ଭୋଇ (୧୮୫୫-୧୮୯୫) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ | କିମ୍ବଦନ୍ତୀ ଓ ଜନଶ୍ରୁତି ମୁତାବକ ଭୀମ ଭୋଇ ବାଲ୍ୟକାଳରୁ ଅନାଥ ଥିବା ସହିତ ଅନ୍ଧ ମଧ୍ୟ ଥିଲେ ଏବଂ ବଡ଼ ଦୁଃଖ-କଷ୍ଟରେ କାଳାତିପାତ କରୁଥିଲେ | ଏହା ସତ୍ତ୍ବେ ସେ ମହିମା ଧର୍ମର ପ୍ରଚାର ଓ ପ୍ରସାର ମଧ୍ୟ କରିଥିଲେ | ତାଙ୍କ ଦ୍ବାରା ରଚିତ ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନା, ଆଦିଅନ୍ତ ଗୀତା, ଅନାଦି ସଂହିତା, ଭୀମ ଭୋଇ ମାଳିକା ଆଦି ଗ୍ରନ୍ଥ ଆଜି ମଧ୍ୟ ଦେଶ ବିଦେଶରେ  ବେଶ୍‌ ଆଦୃତ ଲାଭ କରୁଛି | ଯିଏ ଆଜନ୍ମ ଅନ୍ଧ ସେ କଣ କେବେ କବିତା ଲେଖିପାରେ? ଏହା କଣ ସମ୍ଭବ? ସମ୍ଭବ ନୁହେଁ, କିନ୍ତୁ ତାଙ୍କ ଦ୍ୱାରା ସମ୍ଭବ ହେଇପାରିଥିଲା କେବଳ ମାତ୍ର ମହିମା ସ୍ୱାମୀଙ୍କ କୃପା ଯୋଗୁଁ | ଏହାବି ସତ୍ୟ ସେ ନିଜେ ଲେଖୁନଥିଲେ, କିନ୍ତୁ ଅନବରତ ତାଙ୍କ ମୁଖ ନିଶୃତ ବାଣୀକୁ ତାଙ୍କ ସହଚରମାନେ ଲେଖୁଥିଲେ |  

ଜନଶ୍ରୁତିରୁ ଏହା ପ୍ରତୀତ ହୁଏ ଯେ, ମହିମା ଅଲେଖ ସ୍ୱାମୀ ସନ୍ଥ ଭୀମ ଭୋଇଙ୍କୁ ଚକ୍ଷୁ ପ୍ରଦାନ କରିଥିଲେ, କିନ୍ତୁ ସେ ଏହି ମିଛମାୟା ଭରା ସଂସାରର ଦୁଃଖ ନିର୍ଯାତନା, ବ୍ୟଭିଚାର, ଚୋରି, ନାରୀ ଇତ୍ୟାଦିକୁ ଦେଖି ବ୍ୟଥିତ ହେଇଗଲେ ଏବଂ ସହିନପାରି ପରଂବ୍ରହ୍ମଙ୍କୁ ପ୍ରାର୍ଥନା କଲେ ପୁଣି ସେ ସେହି ଅନ୍ଧ ଭାବେ ଜୀବନ ଜାପନ କରିବା ବରଂ ଶ୍ରେୟସ୍କର ମନେକରନ୍ତି | ମହିମା ସ୍ୱାମୀ ତାଙ୍କ ପ୍ରାର୍ଥନା ଶୁଣିଥିଲେ ଏବଂ ପୁଣି ତାଙ୍କୁ ଚକ୍ଷୁହୀନ କରିଦେଲେ | ତତ୍ପରାନ୍ତ ଭୀମ ଭୋଇ ମହିମା ମହାପ୍ରଭୁଙ୍କ ଆଶିର୍ବାଦ ଗ୍ରହଣ କରି ଅନେକ ଭଜନ, ଜଣାଣ, ଗ୍ରନ୍ଥ ଆଦି ରଚନା କରିଥିଲେ | ପରଂବ୍ରହ୍ମ ପରମେଶ୍ୱର, ସତ୍ୟ ସନାତନ, ଆରାଧ୍ୟ ମହିମା ସ୍ୱାମୀଙ୍କ ସାନିଧ୍ୟ ହିଁ ତାଙ୍କୁ ପରବର୍ତ୍ତି ସମୟରେ ଜଣେ ଦୂରଦୃଷ୍ଟି ସମ୍ପର୍ଣ ସମାଜ ସୁଧାରକ, ନିଷ୍ଠାବାନ୍ ଭକ୍ତ ଏବଂ ସନ୍ଥ କବି ଭାବେ ପରିଚୟ ପ୍ରଦାନ କରିଥିଲା |

ଯାହାଙ୍କର ମହିମାରେ ଅନ୍ଧ ଦେଖିପାରେ, ମୁକ କଥା କହିପାରେ ଏବଂ ବଧିର ଶୁଣିପାରେ ତେବେ ସେ ମହିମା ଶବ୍ଦର ଅର୍ଥ କଣ ଓ ସେହି ମହିମାମୟ, ଅଜୋନୀସମ୍ବୁତଙ୍କ ଅଲୌକିକ ଗୁଣାବଳୀ ସମ୍ବନ୍ଧରେ ଆସନ୍ତୁ ଜାଣିବା | ମହିମାର ଅର୍ଥ - ମାହାତ୍ମ୍ୟ, ଗୌରବ, ଆବର, ସାର, ନିତ୍ୟସତ୍ୟ ଓ ଶ୍ରେଷ୍ଠ ଅଟେ | ମହିମା ଶବ୍ଦର ଅର୍ଥ - ମହତ୍ତ୍ୱର ଚରମତ୍ୱ ଅର୍ଥାତ୍ ଆଉ ଶ୍ରେଷ୍ଠ କିଛି ନାହିଁ |


ଏହି ମହିମା ଶବ୍ଦରୁହିଁ ମହିମା ଅଲେଖ ସ୍ୱାମୀ ମହିମା ଧର୍ମର ଉତ୍ପତି ତଥା ନିତି ନିର୍ଦ୍ଧାରଣ କରିଥିଲେ | ମହିମା ଧର୍ମ ଏକ ବିଶଦ୍ଧ, ସତ୍ୟ, ସନାତନ ହିନ୍ଦୁ ଧର୍ମ | ଏକ ଓ ଅଦ୍ୱତୀୟ ପ୍ରଭୁ ପରଂବ୍ରହ୍ମ ପରମାତ୍ମା ଜୀବର ଏକମାତ୍ର କାରଣ କର୍ତ୍ତା ଓ ତ୍ରାତା | ଏହାହିଁ ତାଙ୍କର ଉପାସନା ମାର୍ଗ | ମହିମା ଅଲେଖ ଯିଏ ସମସ୍ତଙ୍କ ଉପରେ ଅଛନ୍ତି, ଯେଉଁଆଡେ ମୁଖକଲେ ଆଗକୁ ହେଉଛି |

ମହିମା ଅଲେଖ ନାମ ମୁଖେ ନୁହେଁ କହି;

ଗୋଟିଏ ମୁଣ୍ଡିଆରେ କୋଟି ପାତକ ହରଇ |

ମହିମା ଶବ୍ଦର ଉଚ୍ଚାରଣ ମାତ୍ରେ ଅଲେଖ ସ୍ୱାମୀଙ୍କ ଏକାଧାରରେ ସ୍ୱରୂପ ତଟସ୍ଥ ଲକ୍ଷଣ ସମ୍ପୂର୍ଣରୂପେ ପ୍ରତିଭାତ ହୁଏ | ଅଲେଖର ଅର୍ଥ ରେଖା ଶୂନ୍ୟ, କେହି ତାଙ୍କୁ ଲେଖି ସ୍ଥିର କରିପାରି ନାହାନ୍ତି | ଜଗତର ସକଳ ଞାତ ବା ଞାତବ୍ୟ ବସ୍ତୁରୁ ବ୍ରହ୍ମ ଭିନ୍ନ ଅଟନ୍ତି ଏବଂ ଅବିଦତ | ସୂକ୍ଷ୍ମ ହେତୁରୁ ଯାହା ଞାନ ଗୋଚର ହୁଏନାହିଁ, ସେଥିରୁ ମଧ୍ୟ ବ୍ରହ୍ମ ଭିନ୍ନ | ସେ ସର୍ବଞାନର ଅଗୋଚର | ଏଥିପାଇଁ ସେ ଅଲେଖ ପରଂବ୍ରହ୍ମ, ମହାବ୍ରହ୍ମ, ଓ ଶୂନ୍ୟବ୍ରହ୍ମ |

ଭୀମ ଭୋଇଙ୍କ ସାହିତ୍ୟରୁ ପରିଲକ୍ଷିତ ହୁଏଯେ, ଊନବିଂଶ ଶତାଦ୍ଧୀରେ ସାମାଜିକ ଏବଂ ଧାର୍ମିକ କଳୁଷତାର ବଳୟ ମଧ୍ୟରୁ ମହିମା ଧର୍ମର ଉତ୍ପତି ହୋଇଥିଲା ସାମାଜିକ ଶାନ୍ତି ଓ ସଂହତି ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ | ମହିମା ଧର୍ମର ଲକ୍ଷ୍ୟ ସେହି ପରମ ଆରାଧ୍ୟ ମହିମା ଗୋସେଁଇଙ୍କ ଅନ୍ତର୍ନିହିତ ଲକ୍ଷ୍ୟ ଉପରେ ହିଁ ପ୍ରତିଷ୍ଠିତ ଯାହାଦ୍ୱାରାକି ଜଣେ ସାଧାରଣ ମଣିଷ ସେହି ମହିମା ଗୋସେଁଇଙ୍କୁ ଏକନିଷ୍ଠଭାବେ ନିଜକୁ ଅର୍ପଣ କରିପାରିଲେ ସେ ହିଁ ମୁକ୍ତିର ପଥ ଉନ୍ମୁକ୍ତ କରିପାରିବେ | ସେହି ମହିମା ଗୋସେଁଇଙ୍କର ମୂଳ ଲକ୍ଷ୍ୟଥିଲା ସତ୍ୟ ସନାତନ ଧର୍ମକୁ ଅବକ୍ଷୟ ଅବସ୍ଥାରୁ ପୁନର୍ଉଦ୍ଧାର କରି ଶାନ୍ତି ପ୍ରତିଷ୍ଠା କରିବା |

୧୮୨୬ ଖ୍ରୀଷ୍ଟାବ୍ଦରେ ମହିମା ଗୋସେଁଇ ସର୍ବ ପ୍ରଥମେ ପୁରୀରେ ପ୍ରକଟ ହୋଇଥିଲେ | ମହିମା ସ୍ୱାମୀ ଶରୀର ଧାରଣ କରି ମଧ୍ୟ ଅଜୋନୀସମ୍ବୁତ ଥିଲେ, ସେ ଜୋନିଜନ୍ମା ନୁହଁନ୍ତି | ଆମେ ଜୋନିଜନ୍ମା | ଆମ୍ଭେମାନେ ଜୋନିରୁ ଜାତ | ଆମ୍ଭମାନଙ୍କର ପୂର୍ବପୁରୁଷ ଥିଲେ | କିନ୍ତୁ ମହିମା ସ୍ୱାମୀ - ଅଲେଖ, ଅବ୍ୟକ୍ତ, ଅନନ୍ତ, ଅନାମ, ଅଣାକାର, ଅରୂପ, ଅଧ୍ୟେୟ, ଅବିନଶ୍ୱର | ସେ ନିଜେ ତାଙ୍କର ପୂର୍ବ ଏବଂ ପର ପୁରୁଷ | ସେ ଅତୀତରେ ଥିଲେ, ବର୍ତ୍ତମାନରେ ଅଛନ୍ତି ଏବଂ ଭବିଷ୍ୟତରେ ଥିବେ | କେବଳମାତ୍ର ଏ ପାପ କଳୁଷମୟ ଧରାଧାମକୁ ଉଦ୍ଧାର କରିବା ପାଇଁ ବିଭିନ୍ନ ସମୟରେ ବିଭିନ୍ନ କଳେବର ଧାରଣ କରିଥାନ୍ତି |

“ଜାତସ୍ୟ ମୃତ୍ୱୁ ଧୃବମ୍ |” ଆମ୍ଭମାନଙ୍କର ମୃତ୍ୱୁ ସୁନିଶ୍ଚିତ | ଯେହେତୁ ସେ ମର ଶରୀର ଧାରଣ କରିଥିଲେ ତାଙ୍କରବି ଶରୀର ତ୍ୟାଗ ହୋଇଥିଲା | ସେ ୧୮୭୬ ଖ୍ରୀଷ୍ଟାବ୍ଦ ଫାଲଗୁନ ଶୁକ୍ଳ ଦଶମୀରେ ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ଗ୍ରାମରେ ଇହଲୀଳା ସମ୍ବରଣ କରିଥିଲେ | ମହିମା ସ୍ୱାମୀଙ୍କ କଳେବରକୁ ୬୪ ସିଦ୍ଧ ବଳକଳଧାରୀ ସନ୍ୟାସୀ ଏବଂ କେତେକ କୌପୀନଧାରୀ ସନ୍ୟାସୀ ନେଇ ମହିମା ଗାଦିରେ ଶୁଭ ଦେଇଥିଲେ | ଯେଉଁ ପାଞ୍ଚ ହାତିଆ ଟୁଂଗିରେ ସେ ସମାଧିସ୍ଥ ହୋଇଥିଲେ ସେହିଠାରେ ଶୂନ୍ୟମନ୍ଦିର ନିର୍ମାଣ କରାଯାଇଥିଲା |

କାର୍ତ୍ତକ, ମାଘ ଓ ବୈଶାଖ ପୂର୍ଣିମା ତ୍ରୟ ମହିମା ଗାଦିରେ ପାଳିତ ହୋଇଥାଏ | ବିଶେଷକରି ମାଘ ପୂର୍ଣିମାଟି  ଆକର୍ଷଣୀୟ ହୋଇଥାଏ | ମାଘ ମାସ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ସାତଦିନ ଧରି ଏହି ମେଳା ବସେ | ଏହି ମେଳା ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକମାନଙ୍କ ମନରେ ଆଧ୍ୟାତ୍ମିକ ଆନନ୍ଦ ସଞ୍ଚାର କରିବା ସହିତ ବିବିଧ ସଂପ୍ରଦାୟ ମଧ୍ୟରେ ସଂହତି ପ୍ରତିଷ୍ଠା କରିଥାଏ |

ଅଲେଖ ମହିମା!


ab@ab

No comments: